Unknown

 

 

 

 

 

 

 

 

 

ବାମଣ୍ଡା-ରାଜ-ପ୍ରଶସ୍ତି

ଭକ୍ତକବି ମଧୁସୂଦନ ରାଓ

 

ବାମଣ୍ଡାରାଜ ମହାତ୍ମା

ଶ୍ରୀ ଶ୍ରୀ ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନଦେବ ମହୋଦୟଙ୍କ ପ୍ରତି

ଜୟ ଶ୍ରୀ ସଚ୍ଚିଦାନନ୍ଦ ତ୍ରିଭୁବନ

ଦେବ ଦେବ-ମନା,

ଧନ୍ୟ ହେ ରାଜନ ତବ ରାଜୋଚିତ

ଜୀବନ-ସାଧନା ।

ଜୟ ଯୋଗ୍ୟ ବଂଶଧର ପୁଣ୍ୟଶ୍ଳୋକ

ଶ୍ରୀ ଗଙ୍ଗବଂଶର,

ଗଙ୍ଗାସୁନୁ ଶାନ୍ତନବ-ସମ ଶାନ୍ତ

ସଂଯମ-ସଙ୍ଗର ।

ସଂପଦର ଭୋଗ ତବ ଜ୍ଞାନ-କର୍ମ-

ଯୋଗର ସଂଯମେ

ସୁସଂଗତ ସୁସଂହତ ସୁମଙ୍ଗଳ

ଆଚାର-ନିୟମେ ।

ମହାଯଶା କର୍ମବୀର ତାତ

ତବ ମନୀଷୀ ସତ୍ତମ

ନୃପବର ବାସୁଦେବ ଶ୍ରୀସୁଢ଼ଳ

ଦେବ ଦେବୋପମ ।

ଦବ୍ୟନେତ୍ରେ ଦେବଲୋକୁଁ ଦେଖୁଛନ୍ତି

ଆନନ୍ଦିତ ଚିତ୍ତେ,

ଜ୍ଞାନପୂତ କର୍ମପଥେ ଗତି ତବ

ନୃପତି-ରଚିତେ ।

ଚତୁର୍ବର୍ଗଫଳପ୍ରଦ ରାଜ୍ୟାଶ୍ରମ

ସର୍ବାଶ୍ରମ-ସାର,

ସେ ଆଶ୍ରମ ତପୋବନ ଧର୍ମକ୍ଷେତ୍ର-

ମହା ତପସ୍ୟାର ।

ଐଶୀଶକ୍ତି-ପ୍ରଭାବରେ ଜଗତର

ଅଭାବ-ପୂରଣ

ହେ ରାଜନ ରାଜଧର୍ମ ଏହି

ମହାବ୍ରତ-ଆଚରଣ ।

ଦୀକ୍ଷିତ ଏ ସୁଦୁଶ୍ଚର ସୁଦୁସ୍ତର

ମହାପୂଣ୍ୟ-ବ୍ରତେ

ଜ୍ଞାନ-ବିଜ୍ଞାନର ଶକ୍ତି-ପ୍ରୟୋଗରେ

ରତ ଅବିରତେ ।

ପ୍ରଜାକୁଳ ଆଧିବ୍ୟାଧି ଦୁଃଖରାଶି-

ହରଣେ ପ୍ରୟାସୀ,

ପରଜାଙ୍କ ପିତାମାତା ଜ୍ଞାନଦାତା

ଧର୍ମ-ଅନ୍ତେବାସୀ ।

ଉନ୍ନତ ଳଲାଟେ ରାଜ-ଗୌରବରେ

ଟେକି ରାଜଶିର,

ଆତ୍ମ-ମର୍ଯ୍ୟାଦାର ଟେକ ରଖିଅଛ

ହେ ନିର୍ତ୍ତୀକ ବୀର ।

ପୁଣି ନତ ବିନୟରେ ଫଳଭରେ

ନତ ତରୁସରି,

ବିନମ୍ର ସୁଜନ ସୌମ୍ୟ ଶକ୍ତିଶୋଭା

ଏକାଧାରେ ଧରି ।

ଶ୍ରୀକରେ ଶାସନ-ଦଣ୍ଡ-ନ୍ୟାୟ-କ୍ଷମା-

କ୍ଷେମେ ସୁଗଠିତ,

ହୃତ୍‌-କନ୍ଦରୁ କରୁଣାର ସୁଧାଧାରା

ଝରେ ଅକୁଣ୍ଠିତ ।

ଧନ୍ୟ ଧନ୍ୟ ନୃପମଣି ବାମଣ୍ଡେଶ

ସୁଭଗ ସୁବତ

ବାମଣ୍ଡାର ସୁପ୍ରତିଷ୍ଠା ବରଧନ

କଲ୍ୟାଣ-ନିରତ ।

ଏ ରାଜ୍ୟର ସୁଶାସନ-ସୁପାଳନ-

ରାତି-ଦିରଶନେ

ରାମରାଜ୍ୟ ଦେଖିଲି କି ବିଭାବନା

ଉପୁଜଇ ମନେ ।

ପଲ୍ଲବ କୁସୁମ ଫଳେ କାନନଶ୍ରୀ

ଯଥା ସୁସଜ୍ଜିତା

ରାଜର୍ଷି, ରାଜ୍ୟଶ୍ରୀ ତବ ଧନଧାନ୍ୟେ

ତେସନ ଶୋଭିତା ।

ହେ ପ୍ରଜାବତ୍ସଳ, ତବ ବାତ୍ସଲ୍ୟର

କଳ୍ୟାଣ-ପରଶେ

ଫୁଟିଆସୁଅଛି ପ୍ରଜା-ହୃଦ-ପଦ୍ମ

ବିକଶା-ହରଷେ ।

ଅମାୟିକ ସ୍ନେହ-ଭକ୍ତି-ସୁଧାଧାରା

ରାଜ-ପରିବାରେ

ପ୍ରବାହିତ ପରସ୍ପରେ କରି ପ୍ରିୟ

ପ୍ରେମ-ଅଧିକାରେ ।

ରାମାୟଣେ ପ୍ରକାଶିତ ସୌଭ୍ରାତ୍ରର

ଯେଉଁ ପୁଣ୍ୟ ଛବି,

ଦେଖି ତାର ପ୍ରତିଛବି ମୁଗ୍‍ଧ ମୁହିଁ

ଆହେ ରାଜକବି ।

କବି ଗୁଣୀ ଶ୍ରୀ ଶ୍ରୀ ଦେବ ବଳଭଦ୍ର

ପ୍ରମୁଖ ଅନୁଜେ

ସଖା ଓ ସଚିବରୂପେ ପ୍ରେମେ ବଦ୍ଧ

ତବ ସ୍ନେହଭୁଜେ ।

ଶୁଦ୍ଧ ଅନୁରାଗ ବିନା ଜଗତର

ସମ୍ପଦ-ସମ୍ଭାର,

ଧନବଳ ବାହୁବଳ ଅଟଇ ହେ

ନିତାନ୍ତ ଅସାର ।

ବିଧାତାର ଆଶୀର୍ବାଦେ ଶୁଦ୍ଧପ୍ରୀତି

ସକଳ କ୍ଷେମଦା

ମଧୁରୁଁ ମଧୁରତର କରୁ ତବ

ଜୀବନ ସର୍ବଦା ।

ସ୍ୱାର୍ଥର ଅନର୍ଥ ହେଜି ହେ ସମର୍ଥ,

ପାରମାର୍ଥ-ରସେ

ମତି ବଳାଇଛ ଶୁଦ୍ଧ ସୌନ୍ଦର୍ଯ୍ୟର

ସୌରଭ-ରଭସେ ।

ପରମାତ୍ମା ଧ୍ରୁବ ସତ୍ୟ, ସେହି ଏକା

ପରମ ସୁନ୍ଦର,

ଏ ବିଶ୍ୱପ୍ରକୃତି ଘୋଷେ ରସୋ ବୈ ସଃ

ଅମର ମନ୍ତର ।

ଏ ମନ୍ତ୍ରର ମହାଗାନ ଅନୁଦାତ୍ତ

ଉଦାତ୍ତ ସ୍ୱରିତ

ଛନ୍ଦେ ଛନ୍ଦେ ମହାନନ୍ଦେ ବେଦ-ମନ୍ତ୍ର-

ନାଦେ ଝଙ୍କାରିତ।

ସେ ଗମ୍ଭୀର ସେ ପ୍ରଶନ୍ତ ସଙ୍ଗୀତର

ସୁଧାରସ-ପାନେ,

ନନ୍ଦିତ ପରାଣ ତବ ଗାଇଅଛି

ସୁଗମ୍ଭୀର ତାନେ ।

‘‘ବୈଦିକ ପ୍ରକୃତି’’ ଗାଥା ବିରଚିତ

ଦିବ୍ୟ ଅବଧାନେ

ଋଷିକବି ମାନସର ମହାଭୂତ-

ଭେଦି ପ୍ରଣିଧାନେ,

ବ୍ୟୋମସ୍ପର୍ଶୀ ସେ ଧ୍ୟାନର ମହାତୁଙ୍ଗ

ଶିଖରୁ ଓହ୍ଲାଇ,

ନିମ୍ନେ ଏ ସଂସାର-କ୍ଷେତ୍ରେ ପ୍ରେମପୂତ

ନୟନ ବୁଲାଇ ।

ଦେଖିଅଛ ଋଷିନେତ୍ରେ ଜଡ଼ୋଦ୍ଭିଦ

ଜୀବ-ଜଗତରେ,

ରସମୟୀ ବିଶ୍ୱଲକ୍ଷ୍ମୀ କରୁଛନ୍ତି

ଲୀଳା ଚରାଚରେ ।

ପ୍ରୀତିର ଅମରାବତୀ ନରନାରୀ-

ଯୁଗଳ-ଅନ୍ତରେ,

କାବ୍ୟର ନନ୍ଦନବନେ କବିବୃନ୍ଦ-

କଳ୍ପ-ନିକୁଞ୍ଜରେ,

ଅଙ୍କିତ ଯେ ମିଳନର ବିରହର

ଛବି ଅନୁପମ,

ସଙ୍ଗୀତ ଯେ ପ୍ରେମଗାଥା ନାନାରାଗେ

ନିତ୍ୟ ମନୋରମ ।

ସେହି ପ୍ରୀତି ଅବତରି ମର୍ତ୍ତ୍ୟବାସୀ

ନର-ନାରୀ ପ୍ରାଣେ,

ବୈକୁଣ୍ଠ କରଇ ମର୍ତ୍ତ୍ୟେ ଆଦର୍ଶର

ଅମୋଘ ସନ୍ଧାନେ ।

ସେହି ପ୍ରୀତି ବିଜୟିନୀ, ମହାଶ୍ୱେତା

ପୁଣ୍ଡରୀକ-ପ୍ରାଣେ

ଦେଖାଉଛ ରାଜକବି ଅଭିନବ

କାଦମ୍ୱରୀ-ଗାନେ ।

ତଥିପରେ ବରଷିତ ହେଉ ସ୍ୱର୍ଗ-

କୁସୁମ-ଚନ୍ଦନେ,

ସର୍ବଥା ସାର୍ଥକ ହେଉ ତବ କବି-

ପ୍ରାଣର ସାଧନ ।

ଅତୀତ ଯୁଗର କାବ୍ୟଚିତ୍ରମାନ

ଚିନ୍ତି ମାନସରେ,

ଯୁଗ-ଯୁଗାନ୍ତର ସେହି ପ୍ରେମଗାଥା

ଗୁଣି ପ୍ରେମାଦରେ ।

ସେ ଆଲେଖ୍ୟେ, ସେ ସଙ୍ଗୀତେ ଅର୍ପି ନବ

ଅର୍ଥର ଗୌରବ,

ରଚୁଛ ତନ୍ମୟ ମନେ କବିତାର

ମାଳା ଅଭିନବ ।

ଆଦିଯୁଗେ ଆଦିରସ-ପ୍ରସବିତା

ଯେଉଁ ପୁଷ୍ପଶର

ଫେଡ଼ିଥିଲା ନରନାରୀ-ବକ୍ଷ ଭେଦି

ପ୍ରେମର ନିର୍ଝର,

(ପାଷାଣୁ ଫେଡ଼ିଲେ ଯଥା ସାୟକରେ

ଉତ୍ସ ଉଦକର,

ଭୀଷ୍ମ ତୃଷା-ତୃପ୍ତି-ଅର୍ଥେ-କୁରୁକ୍ଷେତ୍ରେ

ପାର୍ଥ ବୀରବର ।)

ସେ ଶର ଲେଖଇ ନିତ୍ୟ ବିରହୀର

ହୃଦୟ-ରୁଧିରେ,

ଅବା ମିଳନର ମୁଗ୍‍ଧ ମଧୁମୟ

ସ୍ୱର୍ଣ୍ଣସବା-ନୀରେ

ଯେଉଁ ମହାପ୍ରେମଗାଥା, କଳୁଷିତ

ବୀଭତ୍ସ ବିକାରେ,

ନୁହେ ତାହା, ସିକ୍ତ ତାହା ମର୍ମେ ମର୍ମେ

ସ୍ୱର୍ଗର ଆସାରେ ।

ବିଷ୍ଣୁ-ପଦୋଦ୍ଭବା ପ୍ରୀତି ବିଷ୍ଣୁପଦୀ

ବୌକୁଣ୍ଠ-ପ୍ଲାବିନୀ

ଜୀବର ପରମ ସଙ୍ଗେ ପରା-ପ୍ରୀତି

ପ୍ରାଣ-ପ୍ରହ୍ଲାଦିନୀ,

ବିକଶିତ ହେବ ବୋଲି ଜୀବତ୍ମାର

ହୃଦ-ଶତଦଳେ,

ନରନାରୀ ପରାଣରେ ପ୍ରତିଲୀଳା

ବ୍ୟକ୍ତ ରବି-ତଳେ ।

ସେହି ପ୍ରାଣ-ପ୍ରଣୟର ପୁଣ୍ୟରସ

ସୌନ୍ଦର୍ଯ୍ୟ-ସାଗରେ

ରସାଏ ଭସାଏ ଯେହୁ ସଂସାରୀର

ଶୁଷ୍କ-ଦିଗ୍‍ଧାନ୍ତରେ ।

କବି ସେହି, ଋଷି ସେହି, ଆଦିକବି

ବିଧାତାର ବରେ,

ବାଲ୍ମୀକି ପରାଏ ନରେ ବସାଏ ସେ

ଦେବ-ଆସନରେ ।

ବିଜ୍ଞାନର ମହାଯୁଗ ସମାଗତ

ଏ ଧରଣୀ-ତଳେ,

ଜୟ-ବୈଜୟନ୍ତୀ ତାର ଉଡ଼ୁଅଛି

ଏ ମହୀମଣ୍ଡଳେ ।

ବିଜ୍ଞାନ ହିଁ ମହାଶକ୍ତି, ବିଜ୍ଞାନ ହିଁ

ଅମୋଘ କୁଞ୍ଚିକା,

ଫେଡ଼ିବାକୁ ବ୍ରହ୍ମାଣ୍ଡର ଗୂଢ଼ତମ

ରହସ୍ୟ-ପେଟିକା ।

ବିଜ୍ଞାନ ଦୁର୍ବଳ କ୍ଷୁଦ୍ର ମାନବର

ଶିରେ ଲଲାଟରେ

ସମ୍ରାଟ-ମୁକୁଟ ଦିଏ ପିନ୍ଧାଇଣ

ମହାସମାଦରେ ।

ବିଚାରି ବିଚାରପ୍ରାଜ୍ଞ ବିଜ୍ଞାନର

ଆଶ୍ଚର୍ଯ୍ୟ ସାଧନ,

ରାଜ୍ୟତରୀ-ଚାଳନାରେ ଶୁଭଗର୍ଭ

ତାର ପ୍ରୟୋଜନ ।

ଲଗାଉଛ ସେ ବିଜ୍ଞାନେ ରାଜ୍ୟହିତେ

ରାଜ୍ୟ-କର୍ଣ୍ଣଧାର,

ବିଜୁଳି ଖଟୁଛି ତେଣୁ ଦାସୀରୂପେ

ବାମଣ୍ଡା-ସଂସାର ।

ତେଣୁ ନବ ଶିଳ୍ପ-ଶାଳା ଆଦରଶ

ନବ କୃଷିକ୍ଷେତ୍ର,

କେତେ କଳିଯୁଗ-କଳ କଳଇ ହେ

ଦର୍ଶକର ନେତ୍ର ।

ତେଣୁ ମହାଦେବୀ-କୁଲ୍ୟା ନବନଦୀ

ବହିବ ଅଚିରେ,

ଶସ୍ୟ-ଶ୍ୟାମା ଏ ଧରଣୀ ବହୁଗୁଣେ

ଶୋଭିବ ରୁଚିରେ ।

ପ୍ରଜାଶିକ୍ଷା ଜ୍ଞାନ-କର୍ମ-ଯୋଗେ ହେଉ

ନିତ୍ୟ ଅଗ୍ରସର,

ବିଭୁପଦେ ଏ ପ୍ରାର୍ଥନା ଶୁଭାଶଂସୀ

ଏ ଦୀନ ଜନର ।

କିନ୍ତୁ ଆହେ ସୂକ୍ଷ୍ମଦର୍ଶୀ ବିଚାରନ୍ତୁ

ସୁଧୀର ଚିନ୍ତନେ,

ବିଜ୍ଞାନ ଅପରା-ବିଦ୍ୟା ମୋହ-ପାଶେ

ବାନ୍ଧଇ ସେ ଜନେ ।

ପରାବିଦ୍ୟା-ସୁଶାସନେ ନୋହିଲେ ସେ

ସୁପରିଚାଳିତ,

ଆସକ୍ତି-କଳୁଷରାଶି ନରପ୍ରାଣୁ

ନୋହିବ କ୍ଷାଳିତ ।

ପ୍ରାଚୀନ ଭାରତେ ତେଣୁ କ୍ଷତ୍ତ୍ରର୍ଷଭ

ମହାତ୍ମା ସରବେ

ଜନକାଦି ରାଜ-ଋଷି ପ୍ରଜ୍ଞାନର

ଅମୋଘ ଗୌରବେ ।

ଅନୁଭବି ସୁଗଭୀର ସୁପ୍ରଶାନ୍ତ

ପ୍ରଣିଧାନ-ବଳେ

ଚରମ ପରମ ଶ୍ରେୟ ଦେଖିଥିଲେ

ବ୍ରହ୍ମ-ପଦତଳେ ।

ପ୍ରଜ୍ଞାନହିଁ ବ୍ରହ୍ମଜ୍ଞାନ ପରା-ବିଦ୍ୟା

ପରମ ପ୍ରମାଣ,

ଶ୍ରଦ୍ଧାଭରେ ସେ ପ୍ରମାଣେ ପରିମାଣି

ବିଜ୍ଞାନର ମାନ ।

ବିଜ୍ଞାନ-ବଳରେ ଦେଖି ବିଶ୍ୱ ମଧ୍ୟେ

ବିଶ୍ୱଜୟୀ ଋତ,

ବିଜ୍ଞାନ-ପ୍ରଭାବେ ଜୀବ ଜିଣି ମୃତ୍ୟୁ

ଭୁଞ୍ଜଇ ଅମୃତ ।

ସେ ଅମୃତ କରୁଣାର ଅନ୍ତହୀନ

ନିର୍ଝରୁ ଝରଇ,

ଅମୃତ-ପିପାସୁ ବ୍ରହ୍ମ-ସନ୍ତାନର

ପିପାସା ହରଇ ।

ଯେସନ ହେ ଧେନୁ-ସ୍ତନୁ କ୍ଷୀରାମୃତ

ହୋଇଣ କ୍ଷରିତ,

କ୍ଷୁଧାତୁର ବତ୍ସ-କ୍ଷୁଧା ସ୍ନେହାବେଗେ

କରେ ବିଦୂରିତ ।

ଜାତୀୟ ସାହିତ୍ୟଯୋଗେ ଅଭ୍ୟୁଦୟ

ଘଟଇ ଜାତିର,

ତେଣୁ ସାରସ୍ୱତସାରେ ଗଢ଼ିବାକୁ

ବାଙ୍ମୟ-ମନ୍ଦିର ।

ପିତୃଦେବ-ପଦଚିହ୍ନ ଅନୁସରି

ପରମ ଯତନେ,

ଉତ୍କଳ-ସାହିତ୍ୟ-ହିତ ସାଧୁଅଛ

ଅକୁଣ୍ଠିତ ମନେ ।

ସାହିତ୍ୟ-ଉନ୍ନତି-ଅର୍ଥେ ଶ୍ରଦ୍ଧାପୂତ

ତବ ଆୟୋଜନ,

ସାର୍ଥକ ସଫଳ ହେଉ, ଲଭୁ ଦେଶ

ନୂତନ ଜୀବନ ।

ବହୁ ବର୍ଷପରେ ଆଜି ଏ ନୟନ

ଦେଖିଲା ଆବର,

କୈଦନ୍ତା ପର୍ବତପ୍ରସ୍ଥେ ତପୋମୂର୍ତ୍ତି

ପ୍ରଧାନପାଟର ।

କି ଭୂମା ତପସ୍ୟାବ୍ରତେ କି ଅସୀମ

ଆତ୍ମ-ବିସର୍ଜନେ,

ସେ ମହାପ୍ରପାତ ରତ କଳ୍ପବ୍ୟାପୀ

ସଂକଳ୍ପ-ସାଧନେ ।

ସଞ୍ଚିତ ଅନନ୍ତ ତପୋରାଶି ପ୍ରାୟେ

ତାର ବାରିରାଶି

ଢାଳି ଦେଉଅଛି ପ୍ରେମେ ଧରାତଳେ

ସେ ମହାସନ୍ନ୍ୟାସୀ ।

ଊର୍ଦ୍ଧ୍ୱକୁ ଅନାଇ ସଦା କି ଅଭୟ

ଆଶା-ଆଶ୍ୱାସର

କି ଗମ୍ଭୀର ବେଦ-ମନ୍ତ୍ର ଝଙ୍କାରରେ

ଭରଇ ଅମ୍ବର !

ଏ ପରମୋଦାର ଦୃଶ୍ୟ ଏହି ମହା-

ତପସ୍ୟା-ମୂରତି

ଦେଖି ଦେଖି କି ଆନନ୍ଦ ଲଭୁଅଛ

ହେ ବାମଣ୍ଡା-ପତି ।

ଏହି ପୂଣ୍ୟପୀଠ ପାଶେ ତୋଳୁଅଛ

ବସନ୍ତ-ନିବାସ,

ତଥିପରେ ଆର୍ଶୀବାଦ ବରଷନ୍ତୁ

ପ୍ରଭୁ ଶ୍ରୀନିବାସ ।

ପରିଶେଷେ ଏ ପାର୍ଥନା ଜଣାଉଛି

ରାଜ-ସନ୍ନିଧାନେ,

ଏ ନିଭୃତ ତୀର୍ଥ-ଶାନ୍ତି ବଢ଼ୁ ତବ

ପବିତ୍ର ବିଧାନେ ।

Image